ଭୁବନେଶ୍ୱର: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ସରକାରୀ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗ ଆଧାରରେ ଓଡ଼ିଶା ସମବାୟ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ଦୁର୍ଗା ଛୁରିଆ କନ୍ଧମାଳ ଜିଲ୍ଲାର DRCS କାର୍ଯ୍ୟାଳୟରେ SARCS ଭାବେ କାର୍ଯ୍ୟ କରୁଥିଲେ। ସେ ଭୁବନେଶ୍ୱରସ୍ଥିତ ସମବାୟ ବିଭାଗର ମୁଖ୍ୟାଳୟ ସହିତ ମଧ୍ୟ କାର୍ଯ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଆଦେଶରେ ଉଲ୍ଲେଖ ରହିଛି ଯେ, ସରକାରୀ କର୍ମଚାରୀ ହୋଇ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମ, ୧୯୫୯ର ନିୟମ-୫ର ଉଲ୍ଲଙ୍ଘନ ଅଟେ। ଏହାକୁ ଆଧାର କରି ଓଡ଼ିଶା ସିଭିଲ ସର୍ଭିସେସ (କ୍ଲାସିଫିକେସନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୬୨ର ନିୟମ ୧୦(୧) ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି।
Tags
Odisha