ଖୋଲିବକି ପ୍ରବୀଣା ସାହୁ ମୃତ୍ୟୁ ମାମଲା!


ବୌଦ୍ଧ: ବୌଦ୍ଧ ନୂଆସାହିର ବହୁ ଚର୍ଚ୍ଚିତ ପ୍ରବୀଣା ସାହୁ ଆତ୍ମହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ବଧୁହତ୍ୟା ମାମଲାରେ ବୌଦ୍ଧ ବିଜେପି ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ନାମରେ ମୃତକର ପିତା ମାତାଙ୍କ ପକ୍ଷରୁ ବୌଦ୍ଧଥାନାରେ ହତ୍ୟା ଅଭିଯୋଗ ହୋଇଥିଲା । ପୁଲିସ ପକ୍ଷରୁ ତଦନ୍ତ ନାମରେ ଏହି ମାମଲାକୁ କିଛିଦିନ ଗଡାଇବା ପରେ ନାଟକୀୟ ଭାବରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ମୃତ ବଧୁ ପ୍ରବୀଣାର ପ୍ରେମିକ ଦର୍ଶାଈ ଅଭିଯୁକ୍ତ ଭାବରେ ସଂଜିବ କୁମାର ସାହୁଙ୍କୁ କୋର୍ଟଚାଲାଣ କରାଯାଇଥିଲା । ପ୍ରକାଶଥାଉକି ଗତ ମାର୍ଚ୍ଚ ୧୪ ତାରିଖ ଦିନ ବୌଦ୍ଧ ନୂଆସାହିର ଅଜିତ ସାହୁଙ୍କ ପତ୍ନୀ ପ୍ରବୀଣା ସାହୁଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନା ପାଇ ତାଙ୍କର ପିତା ନିଶାମଣି ସାହୁ ଓ ମାତା କମଳା ସାହୁ ବୌଦ୍ଧ ପହଞ୍ଚିବା ପୂର୍ବରୁ ପ୍ରବୀଣାଙ୍କୁ ଅଜିତଙ୍କ ପରିବାର ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରିସାରିଥିଲେ । ସମ୍ବଲପୁରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପ୍ରବୀଣାଙ୍କ ମାର୍ଚ୍ଚର୍ ୧୭ ତାରିଖ ଦିନ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପ୍ରବୀଣାଙ୍କ ପରିବାର ପକ୍ଷରୁ ତାଙ୍କ ଝିଅକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ନେଇ ଗତ ମାର୍ଚ୍ଚ ୧୮ ତାରିଖ ଦିନ  ବୌଦ୍ଧ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ମୃତ ପ୍ରବୀଣାର ସ୍ୱାମୀ ଅଜିତ ଓ ତାଙ୍କ ଭାଇଗଜେନ୍ଦ୍ର, ଦୁଇ ଭଉଣୀ ନମିତା ଓ ସୁଜାତା ଏବଂ ସଂପର୍କିୟ ମନୋଜ ସାହୁଙ୍କ ନାମରେ ଥାନା କେସ ନମ୍ବର ୧୩୨/୨୬ ରେ   ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ପକ୍ଷରୁ  ଏହି ମାମଲାରେ ଶବ ବ୍ୟବଛେଦ ରିପୋର୍ଟକୁ ମୁଖ୍ୟ ପ୍ରମାଣ ଭାବରେ ଗ୍ରହଣ କରି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ତତ୍କାଳୀନ ଏସପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରବୀଣା ଆତ୍ମହତ୍ୟା ମାମଲାରେ ତାଙ୍କର ପ୍ରେମିକ ସଂଜିବ ସାହୁଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ମୃତ ପ୍ରବୀଣାଙ୍କ ପିତାଙ୍କ ଲିଖିତ ଅଭିଯୋଗରେ ସଂଜିବଙ୍କ ନାମରେ କୌଣସି ଅଭିଯୋଗ ନଥିଲା ।  ପରିବାରର ଅଭିଯୋଗ ଅନୁଯାୟୀ ତାଙ୍କ ଝିଅର ମୃତ ଶରୀରରେ ଅନେକ କ୍ଷତ ସ୍ଥାନ ରହିଥିଲା । ମାଡ ମାରି ତାର ନାକ ଫଟାଇ ଦିଆଯାଇଥିବାବେଳେ ଅନେକ ସ୍ଥାନରେ ମାଡର ଚିହ୍ନ  ଏବଂ ଗୋଟିଏ ହାତରେ କଟାଦାଗ ମଧ୍ୟ ରହିଥିଲା । ଗଜେନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟମାନେ ମିଶି ତାଙ୍କ ଝିଅକୁ ମାରିଦେବା ପରେ ଆତ୍ମହତ୍ୟାର ରୁପ ଦେଉଛନ୍ତି ଏବଂ ରାଜନୈତିକ ଚାପ ପକାଇ ମାମଲାକୁ ଦବାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ମୃତ ପ୍ରବୀଣାଙ୍କ ପିତା ନିଶାମଣୀ ଓ ମା କମଳା   ଅଭିଯୋଗ କରିଥିଲେ । କିନ୍ତୁ ଏହି ମାମଲାରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଥିଲା । ତେବେ ପ୍ରବୀଣା ଆତ୍ମହତ୍ୟା ଘଟଣାର ପ୍ରାୟ ତିନିମାସ ପରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦିଆଯାଇଛି । ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ସଭାପତି ଅବଦୁଲ କଲିମ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସୁଜିତ କୁମାର ପାଢି ପ୍ରବୀଣା ହତ୍ୟା ମାମଲାରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଣେ ବଧୁର ମୃତ୍ୟୁ ପରେ ପୁଲିସ ତାହାର ଚରିତ୍ର ସଂହାର କରିବା ସହିତ ମନଗଢା କାହାଣି ସୃଷ୍ଟି କରି ଅଭିଯୁକ୍ତମାନେ ଖସିଯିବା ପାଇଁ ସୁଯୋଗ ସୃଷ୍ଟି କରିଥିବା ନେଇ ଶ୍ରୀପାଢି ଅଭିଯୋଗ କରିଛନ୍ତି । ଏହି ମାମଲା ଏବେ ଅଦାଲତରେ ବିଚାରାଧିନ ଥିବାବେଳେ ଘଟଣାର ପୁନଃ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀପାଢି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସର ପୂର୍ବତନ ସଭାପତି ନବ କୁମାର ମିଶ୍ର,ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Previous Post Next Post