ବୌଦ୍ଧ: ବ୍ରହ୍ମପୁରର ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକରଞ୍ଜନୀ’ରେ ବୌଦ୍ଧର ଶ୍ରୀ ରାମଲୀଳା ନାଟ୍ୟ ସଂସଦ ନିଜ କଳାର ଚମକ ଦେଖାଇ ସାଉଁଟିଛି ଉଚ୍ଚ ପ୍ରଶଂସା। ଅଗଷ୍ଟ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସଂସ୍କୃତି ଭବନରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବୌଦ୍ଧର କଳାକାରମାନେ ଅନୁଷ୍ଠାନର ସର୍ବଶ୍ରେଷ୍ଠ ନାଟକ ‘ତରଣୀସେନ ବଧ’ ପରିବେଷଣ କରିଥିଲେ। ମଞ୍ଚରେ କଳାକାରମାନଙ୍କ ଦମଦାର ଅଭିନୟ, ଭାବପୂର୍ଣ୍ଣ ପରିବେଷଣ ଓ ରାମଲୀଳାର ପାରମ୍ପରିକ ଶୈଳୀ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ନାଟକ ଶେଷରେ ବୌଦ୍ଧର କଳାକାରମାନଙ୍କୁ ମିଳିଥିଲା ଭରପୂର ପ୍ରଶଂସା।
ବିଶେଷକରି ରାବଣ ଭୂମିକାରେ ନିଖୁଣ ଅଭିନୟ ପାଇଁ ଅନୁଷ୍ଠାନର ସଭାପତି ତଥା ବୌଦ୍ଧ ପୌର ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ମନ୍ଦୋଦରୀ ଭୂମିକାରେ ଜଗଦୀଶ ବାରିକ, ତରଣୀସେନ ରଞ୍ଜନ ବାରିକ, ପଦ୍ମା ଜିତେନ୍ଦ୍ର ମହାନ୍ତି, ବିଭିଷଣ ପ୍ରମୋଦ ପ୍ରଧାନ, ରାମ ଶିରିଶ ବେହେରା, ଲକ୍ଷ୍ମୀଣ ଜନାର୍ଦ୍ଦନ ମିଶ୍ର, ସୀତା ବିଶ୍ଵାମିତ୍ର ସାହୁ, ହନୁମାନ ଶାନ୍ତାନୁ ବେହେରା, ଅଙ୍ଗଦ ସତ୍ୟଜିତ ମିଶ୍ର, ସୁଗ୍ରୀବ ଦୀବାକର ଜେନା, କାଳନେମୀ ମନୋଜ ସାହୁ ଅଭିନୟ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଗୁରୁ ଶ୍ରୀ ତୁଷାରକାନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ କଳାକାରମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଫଳତା କେବଳ ବୌଦ୍ଧ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ପାଇଁ ନୁହେଁ, ବରଂ ବୌଦ୍ଧର ପାରମ୍ପରିକ ଲୋକକଳା ଓ ଲୋକନାଟକ ପାଇଁ ମଧ୍ୟ ଏକ ଗର୍ବର ମୁହୂର୍ତ୍ତ। ରାଜ୍ୟସ୍ତରୀୟ ମଞ୍ଚରେ ବୌଦ୍ଧର କଳାକାରଙ୍କ ଏହି ସଫଳ ପରିବେଷଣ ଆଗାମୀ ଦିନରେ ଲୋକକଳାକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।
Tags
Odisha