ସୁନ୍ଦରଗଡ଼: ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବନାଞ୍ଚଳ ଅଧୀନ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ସିରିଲ କୁଲୁ, ବୟସ ୬୬ ବର୍ଷ। ସୂଚନା ଅନୁସାରେ, ସିରିଲ ଶୌଚ କରିବା ପାଇଁ ସକାଳୁ ଘର ନିକଟରେ ଥିବା ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ ବଣୁଆ ଦନ୍ତା ହାତୀ ତାଙ୍କ ସମ୍ମୁଖକୁ ଆସିଯାଇଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ସିରିଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବୀରମିତ୍ରପୁର ବନ ରେଞ୍ଜ ଅଧିକାରୀ ସୁଦେଷ୍ଟା ପ୍ରଧାନଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରିବା ସହ ବନ ବିଭାଗ ପକ୍ଷରୁ କେସ୍ ନଂ ୨/୨୬ରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ପ୍ରାଥମିକ ସହାୟତା ଭାବେ ୨୦ ହଜାର ଟଙ୍କା ଦିଆଯାଇଛି। ଏଥିସହ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ବନ ରେଞ୍ଜ ଅଧିକାରୀ ସୁଦେଷ୍ଟା ପ୍ରଧାନ ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଘଟଣା ଘଟାଇଥିବା ହାତୀଟି ସକାଳେ ଝାଡ଼ଖଣ୍ଡ ଅଞ୍ଚଳର ଜଙ୍ଗଲରୁ ବାହାରି ଓଡ଼ିଶା ସୀମା ମଧ୍ୟକୁ ପ୍ରବେଶ କରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ବଢ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଉଛି।
Tags
Odisha
