ବ୍ରହ୍ମପୁର: ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ବ୍ରହ୍ମପୁର ଜିଲ୍ଲା ଦୌରା ଅଦାଲତ। ମାମଲାର ଶୁଣାଣି ପରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି।
ମାମଲାର ଅଭିଯୁକ୍ତ ହେଉଛନ୍ତି ରୋହିଗାଁ ଅଞ୍ଚଳର ରାଜେନ୍ଦ୍ର ଜେନା ଓରଫ ରାଜୁ। ଘଟଣାଟି ୨୦୨୪ ଅଗଷ୍ଟ ୨୮ ତାରିଖ ରାତିରେ ଘଟିଥିଲା। ଘରେ ଶୋଇଥିବା ସମୟରେ ରାଜେନ୍ଦ୍ର ତାଙ୍କ ପତ୍ନୀ ଝୁନୁ ଜେନାଙ୍କୁ ଶାବଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଆଘାତ ଯୋଗୁଁ ଝୁନୁଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ଶେଷ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମାମଲାରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାର କରି ଅଦାଲତ ରାଜେନ୍ଦ୍ରଙ୍କୁ ଦୋଷୀ ଘୋଷଣା କରିଛନ୍ତି। ଏହାପରେ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି।