ବିକାଶର ପୋଲ ଖୋଲିଲା ନାଗରିକ କମିଟି


ବୌଦ୍ଧ : ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଜିଲାରେ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ବୌଦ୍ଧଜିଲାରେ ଏହି ଉତ୍ସବ ପାଳନର ମହତ୍ୱ ନେଇ ପ୍ରଶ୍ନ ଉଠାଇଛି ନାଗରିକ କମିଟି । ନାଗରିକ କମିଟିର ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଆହ୍ୱାନକ୍ରମେ ବୌଦ୍ଧ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ଆଲୋଚନା ବୈଠକରେ ନୂତନ ସରକାରଙ୍କ ଦୁଇବର୍ଷ କାର୍ଯ୍ୟକାଳ ମଧ୍ୟରେ ବୌଦ୍ଧଜିଲାର ବିକାଶ ବହୁ ପଛକୁ ଚାଲିଯାଇଥିବାରୁ ଉଦବେଗ ପ୍ରକାଶ କରାଯାଇଛି । ବିଶେଷ ଭାବରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ୩୦୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠା ଏକ ଅନ୍ଧାରି କୋଠା ଭାବରେ ପରିଚିତ ହୋଇଥିବାବେଳେ ଏହାର କାର୍ଯ୍ୟକାରୀତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ଏହି ଚିକିତ୍ସାଳୟ କୋଠା ଉଦଘାଟନ ପରେ କେବେ ଲୋକଙ୍କ ସେବାରେ ଲାଗିବ ଏହାରି ଉତ୍ତର କାହାରି ପାଖରେ ନାହିଁ । ନୂତନ ଚିକିତ୍ସାଳୟ କୋଠାର ନିର୍ମାଣ ସଂପୁର୍ଣ୍ଣ ହୋଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇସାରିଲାଣି , କିନ୍ତୁ ଏହି କୋଠାର ପ୍ଲାନିଂ ଆପ୍ରୁଭାଲ ଏପର୍ଯ୍ୟନ୍ତ ହୋଇନାହିଁ କି କୋଠାର ଅଗ୍ନି ନିରାପତା ପ୍ରମାଣପତ୍ର ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି କୋଠା ନିର୍ମାଣ ସମୟରେ ଗତ ଅପ୍ରେଲ ମାସ ସୁଦ୍ଧା ୨୪,୮୧,୬୯୨ ଟଙ୍କାର  ବିଦ୍ୟୁତ ବିଲ ବକେୟା ରହିଥିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଗତ ମଇ ୧୫ ତାରିଖରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବାକୁ ପତ୍ର ଦିଆଯିବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ପୁର୍ତ୍ତ ବିଭାଗ ପକ୍ଷରୁ ନୂତନ ଚିକିତ୍ସାଳୟ କୋଠା ହସ୍ତାନ୍ତର ପାଇଁ ଚିକିତ୍ସା ବିଭାଗକୁ ପତ୍ର ପଠାଯାଇଥିଲେ ମଧ୍ୟ ମୁଖ୍ୟ ଚିକିତ୍ସାଧିକାରୀ ତାହାକୁ ଗ୍ରହଣ କରୁନାହାନ୍ତି । ତେଣୁ ଏହି ପତ୍ରଟି ଜିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ପଡି ରହିଥିବା ଜଣାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେଯେ,ବିଦ୍ୟୁତ ସଂଯୋଗ ନଥିବା ଏବଂ କୌଣସି ଆବଶ୍ୟକୀୟ ପ୍ରମାଣପତ୍ର ନଥିବା ଏକ ଚିକିତ୍ସାଳୟକୁ ପ୍ରଧାନମନ୍ତ୍ରୀଙ୍କ ହାତରେ ଉଦଘାଟନ କରାଯିବାର ନିଷ୍ପତି ନେଲା କିଏ ? ତେବେ ପୂର୍ବରୁ ଗତ ଜାନୁୟାରୀ ୪ ତାରିଖରେ ଜିଲା ମହୋତ୍ସବ ସମୟରେ ମଧ୍ୟ ଏହି କୋଠାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଏହି କୋଠା ଉଦଘାଟନ ପରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଦୁଇବର୍ଷ ହେଲା ଜଗି ରହିଥିବା ସୂରକ୍ଷା କର୍ମୀମାନଙ୍କୁ ଆସନ୍ତା ୩୦ ତାରିଖ ଠାରୁ ହଟାଇନେବାକୁ ସଂସ୍ଥା ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଫଳରେ ବିନା ସୁରକ୍ଷାରେ ଏବଂ ୧୩୮ କୋଟି ଟଙ୍କାରେ ନିର୍ମିତ କୋଠା କାର୍ଯ୍ୟକ୍ଷମ ପୂର୍ବରୁ ସମସ୍ତ ସାମଗ୍ରୀ ଚୋରୀ ହୋଇଯିବାର ଆଶଙ୍କା ପ୍ରକାଶ କରି ନାଗରିକ କମିଟି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ସମାନ ଅବସ୍ଥାରେ ପହଞ୍ଚିଛି ଜିଲାର ଅନ୍ୟତ ଆକର୍ଷଣ ଜିଲା ସଂଗ୍ରହାଳୟ । ବିଭିନ୍ନ ଜିଲାରୁ ଛାତ୍ରଛାତ୍ରୀ ଓ ଭ୍ରମଣକାରୀମାନେ ଏହି ସଂଗ୍ରହଳୟକୁ ବୁଲିବାକୁ ଆସୁଥିବାବେଳେ ଏହାର ଅବସ୍ଥା ବଡ ଦୟନୀୟ ସ୍ଥିତିରେ ପହଞ୍ଚିଛି । ସଂଗ୍ରହାଳୟ ସୁରକ୍ଷା ଦାୟିତ୍ୱରେ ଥିବା ଠିକା କର୍ମଚାରୀମାନେ ଦୁଇବର୍ଷରୁ ଅଧିକ ହେଲା କୌଣସି ପାରିଶ୍ରମିକ ପାଉନଥିବାବେଳେ ସଂଗ୍ରହାଳୟ ମଧ୍ୟରେ ରହିଥିବା ଆକ୍ୱାରିୟମ,ଗ୍ରାଭିଟି ଟନେଲ,ଗ୍ଲାସ ହାଉସ ଓ ୧୧ଡି ଭଳି ଆକର୍ଷଣିୟ ସାମଗ୍ରୀ ଏବେ ବନ୍ଦ ହୋଇପଡିଛି । ନାଗରିକ କମିଟି ପକ୍ଷରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଜିଲା ପ୍ରଶାସନ ସହିତ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଫଳ ଶୁନ । ସେହିପରି ବୌଦ୍ଧଜିଲାର ଅନ୍ୟତମ ପରିଚୟ ପାତାଳିଶ୍ରୀକ୍ଷେତ୍ର ନାୟକପଡାର ବିକାଶ ପାଇଁ ପୁର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଥିଲେ ମଧ୍ୟ ୬ ମାସରୁ ଅଧିକ ସମୟ ହେଲା ଏହି କାଗଜପତ୍ର ଜିଲାରୁ ରାଜ୍ୟ ସରକାରଙ୍କୁ ପ୍ରେରଣ ହୋଇପାରୁନାହିଁ । ଜିଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଦୟନୀୟ ସ୍ଥିତିରେ । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ । ତେଣୁ ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆସନ୍ତା ୩୦ ତାରିଖରେ ନାଗରିକ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ଏବଂ ପରବର୍ତ୍ତି ସମୟରେ ବିଧାନସଭା ଆଗରେ ମଧ୍ୟ ଧାରଣା ଦିଆଯିବ ବୋଲି ନାଗରିକ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଗୋଟିଏପଟେ ଜିଲାରେ ପ୍ରଶାସନ ପକ୍ଷରୁ ସରକାରଙ୍କ ଦୁଇବର୍ଷ ପୂର୍ତ୍ତିରେ ବିକାଶର ଧାରା କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନ୍ୟପଟେ ନାଗରିକ କମିଟି ପକ୍ଷରୁ ଜିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମାଧାନରେ ରାଜ୍ୟ ସରକାରଙ୍କ ବିଫଳତା ନେଇ ଆନ୍ଦୋଳନ ଡାକରା ଦୁଇବର୍ଷ ପରେ ଜିଲାରେ ପ୍ରକୃତ ବିକାଶର ପୋଲ ଖୋଲିବା ସହିତ ଶାସକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଦଳୀୟ ରାଜନିତୀରୁ ଉର୍ଦ୍ଧ୍ୱରେ ରହି ଶାସକ ଦଳର ଅନେକ ନେତୃବର୍ଗ ଏହି ବୈଠକରେ ଉପସ୍ଥିତ ରହିବାସହ ନାଗରିକ କମିଟିର ଆନ୍ଦୋଳନ ପାଇଁ ସହଯୋଗର ହାତ ବଢାଇଥିବା ଦେଖାଯାଇଛି ।

Previous Post Next Post